ପ୍ରତିଟି ଜୀବ,ସେ ମଣିଷ ହେଉ ନା କାହିଁ, ପ୍ରତ୍ୟେକଙ୍କ ଆରମ୍ଭ ଯଦି ଜନ୍ମ ହୁଏ ତେବେ ଶେଷ ହେଉଛି ମୃତ୍ୟୁ। ଯାହାର ଯେତିକି ଆୟୁଷ ତାକୁ ସେହି ନିର୍ଦ୍ଧିଷ୍ଟ ସମୟ ହିଁ ଧରାପୃଷ୍ଠରେ ବିତାଇବାକୁ ପଡ଼େ। ଯାହା ଈଶ୍ୱରଙ୍କ ନିର୍ଦ୍ଧାରିତ ଏକ ସ୍ୱଭାବିତ ପ୍ରକ୍ରିୟା। ମୃତ୍ୟୁର କାରଣ ଅନେକ। କିନ୍ତୁ ଅସ୍ୱଭାବିକ ମୃତ୍ୟୁ ଭିତରେ ଆସୁଥିବା ଆତ୍ମହତ୍ୟା ବହୁ କଷ୍ଟଦାୟୀ। ଏଥିରେ ଘଟୁଥିବାମୃତ୍ୟୁର କାରଣ ସବୁବେଳେ ଅସ୍ପଷ୍ଟ ଥାଏ। ଆଜିର ସମୟରେ ଆତ୍ମହତ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସାରା ବିଶ୍ୱରେ ଭାରତରେ ହିଁ ସବୁଠାରୁ ଅଧିକ ସୁଇସାଇଡ୍ ଘଟଣା ସାମ୍ନାକୁ ଆସୁଛି। ୧୫ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଆତ୍ମହତ୍ୟାର ମାନସିକତା ରଖୁଥିବାବେଳେ ଏହାପଛର କାରଣ ନିସଙ୍ଗତା ବୋଲି ବିଶେଷଜ୍ଞ ମତ ରଖନ୍ତି।
କିଛିଦିନ ପୂର୍ବେ ଜଣେ ସାମ୍ବାଦିକା ଆତ୍ମହତ୍ୟା କରିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ମୃତା ଯୁବତୀଜଣକ ପ୍ରଥମେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଆଉ ଏହାପରେ ଟ୍ରେନ୍ ଆଗକୁ ଡେଇଁ ସୁଇସାଇଡ୍ କରିଥିଲେ। ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ବିବାହର ୪ ମାସ ଭିତରେ ଯୁବତୀଜଣକ ଏ ପ୍ରକାର ଚରମ ନିଷ୍ପତ୍ତି ନେବା ନିହାତି ଭାବେ ଏକ ଚିନ୍ତାଜନକ ବିଷୟ। ପାରିବାରିକ କଳହ ବା ଅଶାନ୍ତିର ସମାଧାନ ପାଇଁ କ’ଣ ଆତ୍ମହତ୍ୟା ହିଁ କେବଳ ବାଟ ଥିଲା? ପାରିବାରିକ ସମସ୍ୟାକୁ ବାଦ୍ ଦେଲେ ପ୍ରେମରେ ବିଫଳ, ପ୍ରତାରଣ, ବ୍ଲାକ୍ମେଲିଂ କାରଣରୁ ମାନସିକ ଭାରସାମ୍ୟ ହରାଇ ଅନେକ ଆତ୍ମହତ୍ୟା ଘଟଣା ଆମେ ଖବରକାଗଜରେ ପ୍ରତିଦିନ ଦେଖୁଛେ। ଯଦିଓ ନିର୍ଜନତା କାରଣରୁ ପ୍ରାୟ ଲୋକ ଆତ୍ମହତ୍ୟାକୁ ଗୋଟିଏ ମାତ୍ର ସହଜ ସମାଧାନ ବୋଲି ଭାବୁଥାନ୍ତି ତେବେ ସେମାନେ କେଉଁଠି ନା କେଉଁଠି ବିରାଟ ଭୁଲ୍ ନିଷ୍ପତ୍ତି ନେଉଛନ୍ତି। ଯେତେବେଳେ ଆମେ ମାନସିକ ସ୍ଥରରେ ଦୁର୍ବଳ ଅନୁଭବ କରୁଛେ ସେ ସମୟରେ ଏ ବିଷୟରେ ନିଜ ପ୍ରିୟଜନଙ୍କ ସହ ଆଲୋଚନା କରିବା ବୁଦ୍ଧିମତା ବୋଲି ଆମେ କହିପାରିବା।
ଅନ୍ୟ ଦେଶ ତୁଳନାରେ ଭାରତରେ ସବୁଠାରୁ ଅଧିକ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସୁଛି। ସୁଇସାଇଡ୍ ସଂକ୍ରାନ୍ତରେ ଗତ ଏପ୍ରିଲରେ ନ୍ୟାଶନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (NCRB) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ୨୦୨୨ରେ ଭାରତରେ ମୋଟ ୧ ଲକ୍ଷ ୭୧ ହଜାର ଜଣ ଆତ୍ମହତ୍ୟା କରିଛନ୍ତି । ଲକ୍ଷେରେ ୧୨.୪ ପ୍ରତିଶତ ଆତ୍ମହତ୍ୟା ଘଟଣା ବୃଦ୍ଧି ଘଟିଥିବାବେଳେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାପଡ଼ିଛି। ଏକ୍ସପର୍ଟଙ୍କ ମତରେ ସୁଇସାଇଡ୍ର ପ୍ରମୁଖ କାରଣ ଡିପ୍ରେଶନ୍। ଏହା ଏକ ମାନସିକ ରୋଗ। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ତଥ୍ୟ ଅନୁସାରେ ସାରା ବିଶ୍ୱରେ ମୋଟ ୫% ଆଡଲ୍ଟ ଏହି ରୋଗରେ ଆକ୍ରାନ୍ତ। ସେହିପରି ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଡିପ୍ରେସ୍ଡ। ଡିପ୍ରେଶନ୍ରେ ଥିବା ବ୍ୟକ୍ତି ହିଁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇପାରେ। କିନ୍ତୁ ଏହା ଏକ ଦୁଃସାଦ୍ଧ୍ୟ ରୋଗ ନୁହେଁ, ଏହା ଭଲ ହୋଇପାରିବ ଓ ବିଶେଷ ଟ୍ରିଟ୍ମେଣ୍ଟ ଜରିଆରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇପାରିବ। କାର୍ଯ୍ୟସ୍ଥଳ, ପାରିବାରିକ ଅଶାନ୍ତି,ରିଲେଶନ୍ଶିପ୍ ଇସୁ ସବୁ ପ୍ରମୁଖ ଭାବେ ଷ୍ଟ୍ରେସ୍ ବା ଟେନ୍ଶନ୍ ପାଇଁ ଦାୟୀ, ଯାହାଦ୍ୱାରା ମଣିଷ ଧୀରେ ଧୀରେ ଡିପ୍ରେଶନ୍କୁ ପଳାଏ ଓ ଜାଣିପାରେ ନାହିଁ।
ଏକ ଷ୍ଟଡି ମୁତାବକ ସୁଇସାଇଡ୍ କରିଥିବା ୫୦ରୁ ୯୦% ଲୋକ ଡିପ୍ରେଶନ୍, ଆଙ୍ଗଜାଇଟି ଏବଂ ବାଇପୋଲାର ଡିଜ୍ଅର୍ଡରରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଦେଶରେ ସବୁଠୁ ଅଧିକ ଆତ୍ମହତ୍ୟା ଘଟୁଥିବା ରାଜ୍ୟ ଭିତରୁ ସିକିମ୍ ଶୀର୍ଷରେ ଥିବାବେଳେ ଏହା ପଛକୁ ରହିଛି, ଛତିଶଗଡ଼, କେରଳ ଏବଂ ତାମିଲନାଡ଼ୁ । ଏହି କ୍ରମରେ ଓଡ଼ିଶା ୧୪ ନମ୍ବର ସ୍ଥାନରେ ରହିଛି । ୨୦୧୫ ରିପୋର୍ଟ ଅନୁସାରେ ରାଜ୍ୟରେ ସୁଇସାଇଡ୍ ହାର ୯.୭% ପ୍ରତିଶତ ଥିବାବେଳେ ୫ ବର୍ଷରେ ଅର୍ଥାତ୍ ୨୦୨୦ ବେଳକୁ ଏହା ୧୨.୨%ରେ ପହଞ୍ଚିଛି। ରାଜ୍ୟରେ ଘଟୁଥିବା ଆତ୍ମହତ୍ୟା ଘଟଣାକୁ କମାଇବା ପାଇଁ ପ୍ରଶାସନ କିମ୍ବା ସରକାର ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କଲେ, ଭବିଷ୍ୟତରେ ସୁଇସାଇଡ୍ ହାର ବଢ଼ିବାର ଆଶଙ୍କା ରହିଛି। କିନ୍ତୁ ଏଇ ୫ ବର୍ଷରେ ଲାକ୍ଷାଦ୍ୱୀପ ଏବଂ ଜମ୍ମୁ-କଶ୍ମୀରରେ ଆତ୍ମହତ୍ୟା ହାରରେ ପାଖାପାଖି ୫୦% ହ୍ରାସ ଘଟିଛି।
ସେହିପରି ମହିଳାଙ୍କ ତୁଳନାରେ ପୁରୁଷ ଆତ୍ମହତ୍ୟା ହାର ଦ୍ୱିଗୁଣା। ମହିଳାମାନେ ଅଧିକ ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ କିନ୍ତୁ ପ୍ରାଣ ହରାଉଛନ୍ତି ଅଧିକ ପୁରୁଷ। କାରଣ ଏ ପ୍ରକାର ସ୍ଥିତିରେ ମରିବା ନେଇ ପୁରୁଷଙ୍କ ଇଚ୍ଛାଶକ୍ତି ବଢ଼ିଯାଏ। ଅନ୍ୟପକ୍ଷେ ଆତ୍ମହତ୍ୟାରେ ପୁରୁଷମାନେ ଗଳାରେ ରଶୀ ଦେବା ହେଉ ଅବା ନିଜକୁ ଜାଳି ମାରିଦେବା ଭଳି ଅତି କ୍ରୁର ଶୈଳୀ ଆପଣାନ୍ତି। ଯେଉଁଥିରୁ ତାଙ୍କୁ ରକ୍ଷା କରିବା କଷ୍ଟକର ହୋଇପଡ଼େ ଓ ଶେଷ ସମୟରେ ସେମାନଙ୍କ ମୃତ୍ୟୁ ଘଟେ। ଯଦି ଆମେ ନାରୀଙ୍କ କ୍ଷେତ୍ରକୁ ଦେଖିବା ତେବେ ସେମାନେ ପୁରୁଷଙ୍କ ଭଳି ଏତେ ଭାଓଲେଣ୍ଟ ମେଥଡ୍ ନ ଆପଣାଇ ମେଞ୍ଚେ ନିଦ ବଟିକା ଖାଇବା, କିମ୍ବା ଫିନାଇଲ ପିଇଦେବା ଭଳି କାଣ୍ଡ ଭିଆଇଥାରନ୍ତି। ଯଦି ସମୟ ଥାଉ ସେମାନଙ୍କୁ ଡାକ୍ତରଖାନା ନିଆଯାଏ ସେମାନଙ୍କ ବଞ୍ଚିବାର ଆଶା ବଢ଼ିଯାଏ। ଯେତେବେଳେ ସମସ୍ୟା ବେଳକୁ ବେଳ ବଢ଼େ ଆଉ ସମାଧାନ ଖୋଜୁ ଖୋଜୁ ବ୍ୟକ୍ତିର ସଜ୍ୟ ଶକ୍ତି ସରିଯାଏ ସେ ସମସୟରେ ଚାପରେ ଅସ୍ତବ୍ୟସ୍ତ ମଣିଷ ଆତ୍ମହତ୍ୟା ବାଟକୁ ହିଁ ବାଛେ ।ବିଶ୍ୱରେ ପ୍ରତିବର୍ଷ ୭ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ୧୫ରୁ ୨୯ ବୟସ ବର୍ଗଙ୍କ ମୃତ୍ୟୁ କ୍ଷେତ୍ରରେ ସୁଇସାଇଡ୍ ୪ର୍ଥ ପ୍ରମୁଖ କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ରିପୋର୍ଟରୁ ଜଣାପଡ଼ିଛି। ଏଥିରୁ ପାଖାପାଖି ୭୭% ମୃତ୍ୟୁ ନିମ୍ନ ଏବଂ ମଧ୍ୟବିତ ଦେଶରେ ହେଉଥିବାର ଦେଖିବାକୁ ମିଳୁଛି। ଏହାଛଡ଼ା ପ୍ରତି ୪୦ ସେକେଣ୍ଡରେ ଜଣେ ଆତ୍ମହତ୍ୟା କରୁଛନ୍ତି। ମୋଟ ଆତ୍ମହତ୍ୟାର ୨୦% ଗ୍ରାମାଞ୍ଚଳରେ ରସାୟନିକ ସାର ପେଷ୍ଟିସାଇଡ୍ କିମ୍ବା ମାରାତ୍ମକ ବିଷ ଖାଇବା ଦ୍ୱାରା ହେଉଥିବାବେଳେ ଅନ୍ୟମାନେ ଫାଶୀ ଦେଇ କିମ୍ବା ଦେହରେ ନିଆଁ ଲଗାଇ ସୁଇସାଇଡ୍ କରୁଛନ୍ତି। ସୁଇସାଇଡ୍ ଟ୍ରାଜେଡିରେ ବିଶେଷ କରି ମୃତକଙ୍କ ପରିବାର, ବନ୍ଧୁ ଓ ସମ୍ପର୍କିୟ ଗଭିର ଭାବେ ପ୍ରଭାବିତ ହୁଅନ୍ତି। ତେବେ ଆତ୍ମହତ୍ୟା ମାନସିକତା ରୋକିବା ଲାଗି ଡବ୍ଲୁଏଚ୍ଓ ପକ୍ଷରୁ “ଲାଇଭ୍ ଲାଇଫ୍’ ନାମରେ ଇନିସିଏଟିଭ୍ର ଗଠନ କରାଯାଇଛି। ଯାହା ଲୋକଙ୍କୁ ଆତ୍ମହତ୍ୟାରୁ ବଞ୍ଚିତ କରିବା ପାଇଁ ଚାହୁଁଥିବା ଦେଶ ସହିତ ଯୋଡ଼ି ହୋଇ ଏ ଦିଗରେ କାର୍ଯ୍ୟ କରିଥାଏ। ଜାତୀୟ ତଥା ଆଞ୍ଚଳିକ ସ୍ଥରରେ ଏହାକୁ ରୋକିବା ପାଇଁ ପେଷ୍ଟିସାଇଡ୍ସ,ବିଷ ବିକ୍ରି ଉପରେ ସମ୍ଭାବ୍ୟ କଟକଣା ଲାଗାଯିବା ଆବଶ୍ୟକ। କିଶୋର –କିଶୋରୀଙ୍କଠାରେ ସାମାଜିକ ଭାବପ୍ରବବଣତା ନିୟନ୍ତ୍ରଣ ଉପରେ ଶିକ୍ଷା ଦେବା,ଏହାଛଡ଼ା ସୁଇସାଇଡ୍ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ବେଳଥାଉଁ ଯଦି ଚିହ୍ନଟ କରିବାର ବ୍ୟବସ୍ଥା କରାଗଲେ,ଏହା ସାହାଯ୍ୟକାରୀ ସାବ୍ୟସ୍ତ ହେବ।ସୁବଠାରୁ ବଡ଼ କଥା ଅବସାଦରେ ରହୁଥିବା ବ୍ୟକ୍ତିଙ୍କୁ ଏକୁଟିଆ ଛାଡ଼ିବା ଆଦୌ ଠିକ୍ ନୁହେଁ।କାରଣ ଏକାନ୍ତରେ ସେମାନେ କିଛି ନା କିଛି ଅଘଟଣ ଘଟାଇବାର ଅଧିକ ଆଶଙ୍କା ଥାଏ।
ଧରାପୃଷ୍ଠରେ ସବୁଠାରୁ ଉନ୍ନତ ପ୍ରାଣୀ ହେଉଛି ମଣିଷ। ଯଦି ଆମେ ପୁରାଣ ଶାସ୍ତ୍ର ଆଡ଼କୁ ଯିବା ତେବେ କୁହାଯାଏ କି ଅନେକ ଜନ୍ମର ତପ ବଳରେ ମଣିଷ ଜନ୍ମ ପ୍ରାପ୍ତ ହୁଏ । ଈଶ୍ୱରଙ୍କ ପ୍ରଦତ ଏହି ସୁନ୍ଦର ଉପହାରକୁ ନଷ୍ଟ କରିବାର ମାନସିକତା ରଖିବା ଭୁଲ୍। ଜୀବନରେ ଅନେକ ଝଡ଼, ଝଞ୍ଝାର ମୁକାବିଲା ସାହସୀକତାର ସହ କରିବା ହେଉଛି ଏକ କଳା । ଯାହାକୁ ପ୍ରତ୍ୟେକ ମଣିଷକୁ ଶିକ୍ଷା କରିବାକୁ ପଡ଼ିବଏବଂ ନିଜ ଜୀବନକୁ ସୁନ୍ଦର ଭାବେ ଗଢ଼ିତେଳାବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହେବା ଦିଗରେ ଚେଷ୍ଟିତ ହେବାକୁ ପଡ଼ିବ।