ନ୍ୟୁଜ୍/ ପଲିଟିକ୍ସ

ମାଟିର ଝିଅ ମହାମହିମ:ସର୍ବକନିଷ୍ଠ ରାଷ୍ଟ୍ରପତି ଭାବେ ରେକର୍ଡ କଲେ ଦ୍ରୌପଦୀ ମୁର୍ମୁ

ମୟୁରଭଞ୍ଜ ମାଟିରୁ ନୂଆଦୀଲ୍ଲି,ରାଇରଙ୍ଗପୁରରୁ ରାଇସିନା ହିଲ୍,ସ୍କୁଲ୍ ଟିଚରରୁ କଣ୍ଟ୍ରି କଣ୍ଟ୍ରୋଲରର ଯାତ୍ରାରେ ସଫଳ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ। ମାଟିର ଝିଅ ଏବେ ମହାମହିମ।ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ଏହା ସହିତ ଦେଶର ସର୍ବକନିଷ୍ଠ ରାଷ୍ଠ୍ରପତି ଭାବେ ରେକର୍ଡ କରିବା ସହିତ ପ୍ରଥମ ଆଦିବାସୀ  ମହିଳା ରାଷ୍ଟ୍ରପତି ଭାବେ ରେକର୍ଡ ହାସଲ କରିଛନ୍ତି। ସଂସଦର ସେଣ୍ଟ୍ରାଲ ହଲରେ ତାଙ୍କୁ ପ୍ରଧାନ ବିଚାରପତି ଶପଠ ପାଠ କରାଇଛନ୍ତି। ତାଙ୍କ ଶପଥଗ୍ରହଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଛନ୍ତି।

କେମିତି ଥିଲା ଶପଥ ଗ୍ରହଣ ଉତ୍ସବ
ଶପଥ ନେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ରାଜଘାଟରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପ୍ରଣାମ ଓ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହାପରେ ୯ଟା ୪୨ରେ ରାଷ୍ଟ୍ରପତି କୋବିନ୍ଦ ଏବଂ ଦ୍ରୌପଦୀ ମୁର୍ମୁ କାବେରୀ ଛାଡ଼ି ଦରବାର ହଲ୍ ଅଭିମୁଖେ ବାହାରିଥିଲେ। ରାଷ୍ଟ୍ରପତିଙ୍କ ଲିମୋସିନରେ ବସି ଉଭୟ ସଂସଦ ଅଭିମୁଖେ ଯାଇଥିଲେ। ଗେଟ୍ ନମ୍ବର ୫ରେ ପହଞ୍ଚିବା ପରେ ସକାଳ ୧୦ଟା ୩ରେ ରାଜ୍ୟସଭା ଅଧ୍ୟକ୍ଷ, ଲୋକସଭା ବାଚସ୍ପତି ଏବଂ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସେମାନଙ୍କୁ ସ୍ୱାଗତ କରିଥିଲେ। ୧୦ଟା ୧୪ରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ. ଭି. ରମନା, ରାଷ୍ଟ୍ରପତି ଭାବରେ ଦ୍ରୌପଦୀ ମୁର୍ମୁଙ୍କୁ ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଦେଶ ସମେତ ଓଡ଼ିଶାରେ ମଧ୍ୟ ଉତ୍ସାହର ଲହରୀ ଦେଖିବାକୁ ମିଳିଛି।

 

You Might Also Like

No Comments

Leave a Reply