ସତରେ କଣ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ବଦଳିଯିବ?ଅସ୍ମିତାର ଚିତ୍କାର କରୁଥିବା ଭାରତୀୟ ଜନତା ପାର୍ଟି, ଉଭୟ କେନ୍ଦ୍ର ଏବଂ ଓଡ଼ିଶାରେ କ୍ଷମତାରେ ଥିବା ଯୋଗୁଁ…ରେଭେନ୍ସାଙ୍କ ନାଁ ହଟିଯିବ କି ?ଯଦି ନାଁ ବଦଳକୁ ନେଇ ରାଜନୀତି ଚାଲେ, ତାହେଲେ କିଏ ଏଥିରେ ବାଜି ମାରିବ?ରେଭେନ୍ସାକୁ ନେଇ ଥିବା ଇମୋସନ୍ ? ନା’ ଦାସତ୍ୱର କଥା କହି, ଲାଗିବ ଓଡ଼ିଆ ଅସ୍ମିତାର ଟ୍ୟାଗ୍। ଏସବୁ କଥାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ ପରିବର୍ତ୍ତନକୁ ନେଇ ଯଦିଓ ଅନେକ ଲୋକ ଏହାକୁ ବିରୋଧ କରୁଛନ୍ତି, ଯଦି ପ୍ରକୃତ ପକ୍ଷେ ବିଚାର କରାଯାଏ, ଯୋଉ Thomas Edward Ravenshawଙ୍କ ନାଁରେ ଏ ୟୁନିଭରସିଟି ନାମିତ ହୋଇଛି ତାଙ୍କର ବ୍ୟକ୍ତିତ୍ୱ ଖୁବ ବିବାଦୀୟ। କଲିକତା ପ୍ରେସିଡେନ୍ସି ଅଧିନରେ ଥିବା ଓଡ଼ିଶାରେ ୧୮୬୫ ରୁ ୧୮୭୮ ଯାଏଁ କମିଶନର ଥିଲେ Ravenshaw ।ସେ ଦାୟିତ୍ଵ ନେବାର ପର ବର୍ଷ ୧୮୬୬ରେ ପଡ଼ିଥିଲା ନ’ଅଙ୍କ ଦୁର୍ଭିକ୍ଷ। ଯେଉଁଥିରେ ପ୍ରାଣ ହରାଇଥିଲେ ପ୍ରାୟ ୩୦ ଲକ୍ଷ ଓଡ଼ିଆ।
ନାରୀ ଶିକ୍ଷାର ଅନ୍ତୁଡ଼ିଶାଳ କୁହାଯାଉଥିବା କଟକରେ ଗୋଟାଏ ମହିଳା ବିଦ୍ୟାଳୟ ଥିଲା, ଯାହା ଏବେ ରେଭେନ୍ସା ମହିଳା ବିଦ୍ୟାଳୟରେ ଭାବେ ଆମେ ଜାଣୁଛୁ।କିନ୍ତୁ ଆପଣ ଜାଣିଛନ୍ତି କି? ୧୫୦ ବର୍ଷ ପୂର୍ତ୍ତି ପାଳି ସାରିଥିବା ଏହି ମହିଳା ବିଦ୍ୟାଳୟ ବା Girls’ High Schoolକୁ କଣ ଇଂରେଜ ବାବୁ Ravenshaw ପ୍ରତିଷ୍ଠା କରିଥିଲେ?
ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ପାଠ ପଢ଼ିଥିବା ସେହି ମହିଳା ବିଦ୍ୟାଳୟର ପ୍ରତିଷ୍ଠାରେ କଣ ଓଡ଼ିଆ ମାନଙ୍କର କିଛି ଅବଦାନ ନାହିଁ ?୧୮୬୯ ମସିହାରେ ଅବିନାଶ ଚାଟାର୍ଜୀ ୬ଜଣ ଝିଅଙ୍କୁ ନେଇ ନିଜ ବାସଭବନରେ ଆରମ୍ଭ କରିଥିଲେ କଟକ ମହିଳା ହିନ୍ଦୁ ବିଦ୍ୟାଳୟ।ଖଲ୍ଲିକୋଟ୍, ମୟୂରଭଞ୍ଜ,କେନ୍ଦୁଝର, କନିକା, ନିଳଗିରି, ମଧୁପୁର, ପୁରୀ ରାଜାମାନେ ମାସିକ ଚାନ୍ଦା ଦେଇ ସ୍କୁଲକୁ ସାହାଯ୍ୟ କରୁଥିଲେ।ନାରୀ ଜାଗରଣ ପ୍ରାଣକେନ୍ଦ୍ର କଟକ ମହିଳା ହିନ୍ଦୁ ବିଦ୍ୟାଳୟକୁ ମସିହାରେ ମିଳିଗଲା ଆଂଶିକ ସରକାରୀ ମାନ୍ୟତା। ଆଉ ୧୯୧୩ ମସିହା ମାର୍ଚ୍ଚ ପହିଲାରେ ଏହା ସମ୍ପୁର୍ଣ୍ଣ ସରକାରୀ ମାନ୍ୟତା ପାଇଲା।କିନ୍ତୁ ବିଡମ୍ବନା, ସରକାରୀ ମାନ୍ୟତା ମିଳୁ ମିଳୁ, ୧୮୭୩ ମସିହାରେ କମିଶନର ରେଭେନ୍ସାଙ୍କ ନାଁରେ ନାମିତ ହେଇଗଲା କଟକ ମହିଳା ହିନ୍ଦୁ ବିଦ୍ୟାଳୟ।
ଇଂରେଜ ଶାସନର ଚକ୍ରାନ୍ତରେ ମହିଳା ବିଦ୍ୟାଳୟରୁ ହିନ୍ଦୁ ଶଦ୍ଦ ହଟିଲା,ତେଣୁ ଯଦି ନାଁ ପରିବର୍ତ୍ତନର କଥା ଉଠୁଛି କେବଳ ରେଭେନ୍ସା ୟୁନିଭରସିଟି କାହିଁକି? ପ୍ରଥମେ ରେଭେନ୍ସା ବାଳିକା ବିଦ୍ୟାଳୟର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠିବା କଥା।କାରଣ ଏହା ଥିଲା ଅବିନାଶ ଚାଟାର୍ଜୀଙ୍କ ବ୍ୟକ୍ତିଗତ ଉଦ୍ୟମର ଫଳ।ଖଲ୍ଲିକୋଟ୍, ମୟୂରଭଞ୍ଜ,କେନ୍ଦୁଝର, କନିକା, ନିଳଗିରି, ମଧୁପୁର, ପୁରୀ ରାଜାଙ୍କର ଆର୍ଥିକ ପ୍ରୋତ୍ସାହନ।ନିଜ ନାଁରେ କଟକ ମହିଳା ହିନ୍ଦୁ ବିଦ୍ୟାଳୟକୁ କରେଇ ନେବାର ଅଧିକାର ନଥିଲା ରେଭେନ୍ସାଙ୍କର।ତେଣୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଝିବା ଦରକାର ଯେ ସେ ଯେଉଁ ରେଭେନ୍ସା ୟୁନିଭରସିଟିର ନାଁ ପରିବର୍ତ୍ତନ କଥା କହୁଛନ୍ତି, ତା ଆଗରୁ କଟକ ମହିଳା ହିନ୍ଦୁ ବିଦ୍ୟାଳୟର କଥା କାହିଁକି କହିଲେ ନାହିଁ?ତାଙ୍କର ଗୋଟିଏ ପର୍ସନାଲ୍ ଷ୍ଟେଟମେଣ୍ଟ ବିଜେପି ପାଇଁ ଶୁଭଙ୍କର ହେଲା କି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଓଲଟା ଅଡ଼ୁଆରେ ପକେଇଲା?କିନ୍ତୁ ବ୍ୟକ୍ତିଗତ ମତ ବୋଲି କହି ଧର୍ମେନ୍ଦ୍ର ପ୍ରଧାନ ଯୋଉ ତେରେଛା ବାଣ ମାରିଛନ୍ତି ତା ମୋହନ ସରକାରଙ୍କ ଉପରେ କି ପ୍ରଭାବ ପକେଇବ ତାକୁ ଏବେଠୁ ଅନୁମାନ କରିବା ସମ୍ଭବ ନୁହେଁ।କିନ୍ତୁ ରାଜନୀତିର ଏହି ଦାଉ ପେଞ୍ଚରେ କଟକ ମହିଳା ହିନ୍ଦୁ ବିଦ୍ୟାଳୟର ବାସ୍ତବ କଥା ଯେ ଲୋକଲୋଚନକୁ ଆସିପାରୁ ନାହିଁ, ଏହାକୁ ଆମକୁ ସ୍ୱୀକାର କରିବାକୁ ପଡିବ।