ଶୋଷ ମେଣ୍ଟାଇବା ଲାଗି ଦୋକାନ ବଜାରରେ ପାଣି ବୋତଲ ଅତି ସହଜରେ ମିଳିଯାଉଛି। ହୋଟେଲ ଛଡ଼ା ଆଜିକାଲି ଲୋକମାନେ ଘରେ ମଧ୍ୟ ବୋତଲରେ ପାଣି ରଖି ପିଇବା ପସନ୍ଦ କରୁଛନ୍ତି। ନିଜ ସୁବିଧାକୁ ଆଖି ଆଗରେ ରଖି ସିଲ୍ ମରା ପ୍ଲାଷ୍ଟିକ୍ ବୋତଲରୁ ପାଣି ପିଇଦେଲେ ତୃଷ୍ଣା ସିନା ମେଣ୍ଟି ଯାଉଛି, କିନ୍ତୁ ଆପଣ କ’ଣ ଜାଣିଛନ୍ତି ଏହି ପାଣି ସହିତ ଅନେକ କିଛି କ୍ଷତିକାରକ ଜୀବାଣୁ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି। କାଚକେନ୍ଦୁ ପରି ଦୃଶ୍ୟମାନ ହେଉଥିବା ପାଣି ବୋତଲରେ ଅନେକ ଜୀବାଣୁ ଲୁଚି ରହିଛି ଯାହା ଖାଲି ଆଖିରେ ଦେଖାଯାଉ ନାହାନ୍ତି।
ବିଶେଷଜ୍ଞଙ୍କ ମତରେ ସିଲ୍ ମରା ବୋତଲର ଜଳ ଭିତରେ ଅନେକ ସଂକ୍ରମିତ ଜୀବାଣୁ ଲୁଚି ରହିଛନ୍ତି। ଯାହା ଆମ ଶରୀର ଭିତରୁ ଯାଇ ନାନାଦି ପ୍ରକାର ରୋଗ ସୃଷ୍ଟି କରନ୍ତି। ସବୁଠୁ ଚିନ୍ତାଜନକ ହେଉଛି ବୋତଲ ଭିତରେ ଥିବା ରସାୟନିକ ପଦାର୍ଥ। ଜଳ ରଖାଯାଉଥିବା ସେହି ସୁରକ୍ଷିତ ବୋତଲସବୁ ସାଧାରଣତଃ ପଲିଇଥିଲିନ୍ ଟେରିଅଫ୍ଥାଲେଟ୍ ବା (ପିଇଟି ବା ପେଟ୍) ନାମକ ପଦାର୍ଥରେ ତିଆରି। ତାପମାତ୍ରା ବଢ଼ିଲେ ପେଟ୍ରୁ ଆଣ୍ଟିିମୋନି ଓ ଫ୍ଥାଲେଟ୍ ପରି କେମିକାଲ ନିର୍ଗତ ହୋଇ ବୋତଲରେ ଥିବା ପାଣିରେ ମିଶେ। ଏହି ରସାୟନିକ ପଦାର୍ଥ ସବୁ ଶରୀର ମଧ୍ୟରେ ପ୍ରବେଶ କରି ଅନ୍ତଶ୍ରାବୀ କ୍ରିୟାରେ ବାଧା ଉପୁଜାଇଥାଏ।ଉଭୟ ଦାମୀ ଏବଂ କମ୍ ଦାମ୍ ପ୍ଲାଷ୍ଟିକ୍ ବୋତଲରେ ଥିବା ପାଣିରେ ଅଣୁ ପ୍ଲାଷ୍ଟିକ ରହିଥାଏ। ବୋରିଂ ବା କୂଅ ଜଳରୁ ମିଳୁଥିବା କ୍ୟାଲସିୟମ୍, ମ୍ୟାଗ୍ନେସିୟମ ଭଳି ଖଣିଜ ବୋତଲ ପାଣିରେ ନ ଥାଏ। କାରଣ ଏହି ପାଣିକୁ ଏକାଧିକ ଥର ପରିସ୍ରବଣ କରାଯିବା ଦ୍ୱାରା ଖଣିଜ ପଦାର୍ଥ ସବୁ ଛାଣି ହୋଇଯାଏ। ବହୁ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷାରୁ ମଧ୍ୟ ଏହା ପ୍ରମାଣିତ ଯେ, ପ୍ଲାଷ୍ଟିକ୍ ବୋତଲ ଜଳ ଆଦୌ ପାନୀୟ ଉପଯୋଗୀ ନୁହେଁ।
କେବଳ ପାଣି ବୋତଲ କାହିଁକି ଘରେ ଘରେ ପ୍ଲାଷ୍ଟିକରେ ତିଆରି ଅନେକ ଉପକରଣ ବ୍ୟବହାର ହେଉଛି। ଅଟା, ଡାଲି ଚାଉଳ ଆଦି ପ୍ଲାଷ୍ଟିକ୍ ଥଳିରେ ପ୍ୟାକ୍ ହୋଇ ବିକ୍ରି ହେଉଥିବାବେଳେ ପ୍ଲାଷ୍ଟିକ୍ର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତ୍ୟେକଟି ଜିନିଷରେ ପ୍ଲାଷ୍ଟିକର ବ୍ୟବହାର କାରଣରୁ ଏହା ଜୀବଜଗତ ଉପରେ ବଡ଼ ବିପଦ ସୃଷ୍ଟି କରିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ସମସ୍ୟା ପାଇଁ ପ୍ଲାଷ୍ଟିକ ଦାୟି। ଏଥିସହ ଜଳ, ବାୟୁ ଏବଂ ସ୍ଥଳଭାଗ ପ୍ଲାଷ୍ଟିକ୍ ବର୍ଜ୍ୟ ଯୋଗୁ ପ୍ରଦୂଷିତ ହେବାରେ ଲାଗିଛି। ଯାହା ଭୂପୃଷ୍ଠର ତଳେ ଗଚ୍ଛିତ ଜଳ ଏବଂ ମାଟିରେ କ୍ଷତିକାରକ କେମିକାଲ ସୃଷ୍ଟି କରିଥାଏ। ଏହାଛଡ଼ା ବିଭିନ୍ନ ପ୍ରକାର ଦୁଃସାଧ୍ୟ ରୋଗ ମଧ୍ୟ ପ୍ଲାଷ୍ଟିକ୍ ଦ୍ୱାରା ହେବାରେ ଲାଗିଛି। ପ୍ଲାଷ୍ଟିକ୍ ସମ୍ପର୍କରେ ଜ୍ଞାନ ରଖି ଏହାର ବ୍ୟବହାରକୁ କମାଇବା ହିଁ ବୁଦ୍ଧିମାନର କାମ ବୋଲି ଆମେ କହିପାରିବା। ଉଭୟ ସରକାରୀ ଓ ବେସରକାରୀ ସ୍ଥରରେ ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ ଲଗାଇବା ଲାଗି ନାନା ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ ଭବିଷ୍ୟତକୁ ପ୍ଲାଷ୍ଟିକର କବଳରୁ ରକ୍ଷା କରିବା ଲାଗି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମେ ସଚେତନ ହେବାକୁ ପଡ଼ିବ। ଏହାର ବିକଳ୍ପ ବାହାର କରିବାକୁ ପଡ଼ିବ ଏବଂ ସୁନ୍ଦର ପରିବେଶ ପାଇଁ ଆମକୁ ଏକଜୁଟ ହେବାକୁ ପଡ଼ିବ।