ବର୍ତ୍ତମାନ ସମୟରେ ତାପମାତ୍ରା ବୃଦ୍ଧି ଓ ପାଗରେ ବହୁ ପରିବର୍ତ୍ତନ ଘଟିଛି।ଏହା ଏକ ପ୍ରାକୃତିକ ପରିବର୍ତ୍ତନ,ଯାହା ସୌରଶକ୍ତିର ଆଧାର ସୂର୍ଯ୍ୟଙ୍କ ଚଳନରେ ଅନିୟମିତତା କିମ୍ବା ଅଗ୍ନେୟଗିରି ଉଦ୍ଗିରଣ କାରଣରୁ ହୋଇଥାଏ।କିନ୍ତୁ ଏତେସବୁ ପରିବର୍ତ୍ତନର ମୂଳ କାରଣ ମଣିଷ।ମନୁଷ୍ୟକୃତ କାର୍ଯ୍ୟ ଯେମିତି, ସବୁଜଗୃହ ଗ୍ୟାସ୍ ନିର୍ଗମନ,ଗଛ କାଟି ଜଙ୍ଗଲ ନଷ୍ଟ ଇତ୍ୟାଦି। ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି,ଯାହାଦ୍ୱାରା ମଣିଷ କାହିଁକି, ପଶୁପକ୍ଷୀ ବି ପ୍ରଭାବିତ ହେବାକୁ ବସିଛନ୍ତି।
ଡେନ୍ମାର୍କ ସ୍ଥିତ କୋପେନହାଗେନ ବିଶ୍ୱବିଦ୍ୟାଳୟ ଗ୍ଲୋବାଲ ଇନ୍ଷ୍ଟିଚ୍ୟୁଟ୍ର ବିଶେଷଜ୍ଞଙ୍କ ଦ୍ୱାରା ଏକ ଅଧ୍ୟୟନ କରାଯାଇଛି। ଯେଉଁଥିରୁ ଜଣାପଡ଼ିଛି, କ୍ଲାଇମେଟ୍ ଚେଞ୍ଚ ପାଇଁ ବିଲୁପ୍ତ ହେବାକୁ ବସିଛନ୍ତି ୩୭୨୨ ପ୍ରଜାତିର ଜୀବ। ଏମାନଙ୍କ ଭିତରେ ସରିସୃପ,ଉଭୟଚର,ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀ ସାମିଲ ଅଛନ୍ତି। ଏହି ଜୀବଙ୍କ ବିଲୁପ୍ତ ହେବାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତ । ଏହି ଅଧ୍ୟୟନ ରିପୋର୍ଟ ପ୍ରୋସିଡିଙ୍ଗ୍ସ ଅଫ୍ ଦ ନ୍ୟାଶନାଲ ଏକାଡେମି ଅଫ୍ ସାଇନ୍ସରେ ପ୍ରକାଶ ପାଇଛି। ପାଖପାଖି ୩୪,୦୩୫ ପ୍ରଜାତିକୁ ନେଇ ଏହି ଅଧ୍ୟୟନ କରାଯାଇଛି। ଏମାନଙ୍କ ଭିତରୁ ୧୦% ପ୍ରଜାତି ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବିପଦରେ ଥିବା ଜଣାପଡ଼ିଛି। ଯେଉଁଥିରୁ ୫.୪% ପ୍ରଜାତି ବିଲୁପ୍ତ ହେବାର ଅଧିକ ଆଶଙ୍କା ରହିଛି। ୫.୭% ପକ୍ଷୀଙ୍କ ଜୀବନ ବିପଦରେ ଥିବାବେଳେ ୭% ସ୍ତନ୍ୟପାୟୀ,୧୬% ଉଭୟଚର ଏବଂ ୧୪.୫ % ସରିସୃପ ପ୍ରଜାତି ଉପରେ ବିପଦ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ମତରେ ଏହି ଜୀବମାନେ ରହୁଥିବା ସ୍ଥାନରେ ଝଡ଼,ବାତ୍ୟା, ସୁନାମୀ ଏବଂ ଅଗ୍ନିଉଦଗିରଣ ଭଳି ପ୍ରାକୃତିକ ବିପର୍ଯ୍ୟୟ ଅଧିକ ହେବାର ଆଶଙ୍କା ରହିଛି।
୩୪,୦ ୩୫ ପ୍ରଜାତିଙ୍କ ଭିତରୁ ୨,୦୦୧ ପ୍ରଜାତି ଏମିତି ଅଛନ୍ତି ଯାହା ଉପରେ ପ୍ରାକୃତିକ ବିପର୍ଯ୍ୟୟର ଗଭିର ପ୍ରଭାବ ପଡ଼ିବ।ଏମାନଙ୍କ ଭିତରେ ୮୩୪ ସରିସୃପ, ୬୧୭ ଉଭୟଚର, ୩୦୨ ପକ୍ଷୀ ଏବଂ ୨୪୮ ସ୍ତନ୍ୟପାୟୀ ସାମିଲ ଅଛନ୍ତି।ବିଲୁପ୍ତ ହେବାକୁ ଥିବା ଅଧିକାଂଶ ପ୍ରଜାତି ଦ୍ୱୀପ ଏବଂ ଗ୍ରୀଷ୍ମପ୍ରବଣ ଅଞ୍ଚଳରେ ରହୁଛନ୍ତି।ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟ ଝଡ଼ କାରଣରୁ ୯୮୩ ପ୍ରଜାତିର ଅସ୍ତିତ୍ୱ ଏବେ ସଙ୍କଟରେ। ଭୂକମ୍ପ କାରଣରୁ ୮୬୮ ପ୍ରଜାତି, ସୁନାମୀ ଯୋଗୁଁ ୨୭୨ ଏବଂ ଅଗ୍ନିଉଦ୍ଗିରଣ କାରଣରୁ ୧୭୧ ପ୍ରଜାତି ପ୍ରଭାବିତ ହେବାରେ ଅଧିକ ଆଶଙ୍କା ଅଛି।୪୦୦ ଏମିତି ପ୍ରଜାତି ଅଛନ୍ତି,ଯାହା ମାନବୀୟ ହସ୍ତକ୍ଷେପ କାରଣରୁ ବିଲୁପ୍ତ ହେବାକୁ ବସିଛନ୍ତି।ମାତ୍ରାଧିକ ପ୍ରଜାତି ବିଲୁପ୍ତ ହେବା ଦ୍ୱାରା ଏହା ଇକୋସିଷ୍ଟମକୁ ପ୍ରଭାବିତ କରିବ।
ଏହାସହ ଜଡ଼ିତ ବହୁ ଗୁରୁତ୍ୱପୂର୍ଣ୍ଣ ଜୈବ ପ୍ରକ୍ରିୟା ମଧ୍ୟ କ୍ଷତିଗ୍ରସ୍ତ ହେବ। ଅଧ୍ୟୟନ ସହ ଜଡ଼ିତ ପ୍ରଫେସର ଜୋନାସ ଗୋଲ୍ଡମ୍ୟାନ୍ ଏବଂ ଡାଲ୍ସଗାର୍ଡଙ୍କ କହିବା କଥା, ଅଧିକାଂଶ ପ୍ରଜାତିର ଜୀବ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ବିଲୁପ୍ତ ହେବାକୁ ବସିଛନ୍ତି। ପୂର୍ବରୁ ଅନେକ ଜୀବଙ୍କ ବିଲୁପ୍ତ ହେବାର କାରଣ ପାଲଟିଛି ମଣିଷ ।ବିଲୁପ୍ତ ହେବାକୁ ବସିଥିବା ପ୍ରାଣୀଙ୍କ କ୍ଷେତ୍ରରେ ମନୁଷ୍ୟ ହସ୍ତକ୍ଷେପକୁ ରୋକାଯିବାର ଆବଶ୍ୟକତା ରହିଛି।ଜଳବାୟୁ ପରିବର୍ତ୍ତନ ଏକ ପ୍ରକୃତିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ମଣିଷ ଦ୍ୱାରା କରାଯାଇଥିବା ପ୍ରକୃତି ବିରୋଧୀ କାର୍ଯ୍ୟକ୍ରମର ଏହା ହେଉଛି ଅତି ଜଟିଳ ପରିଣାମ।